ଅଯୋଧ୍ୟାରେ ବିମାନ ବନ୍ଦରର ହେଲା ନାମକରଣ

ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରୁଛନ୍ତି । ତେବେ ଏହା ପୂର୍ବରୁ ଅଯୋଧ୍ୟା ରେଲୱେ ଷ୍ଟେସନକୁ ନୂଆ ରୂପ ଦିଆଯାଇଥିବା ବେଳେ ବିମାନ ବନ୍ଦର ଉଡାଣ ପାଇଁ ପ୍ରସ୍ତୁତ ଅଛି । ଉଦଘାଟନ ପୂର୍ବରୁ ଅଯୋଧ୍ୟା ବିମାନ ବନ୍ଦର ନାମକରଣ କରାଯାଇଛି । ନୂତନ ବିମାନବନ୍ଦରର ନାମ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (ଡିସେମ୍ବର ୩୦)ରେଅଯୋଧ୍ୟା ଗସ୍ତ କରିବେ।

ଏହି ସମୟରେ ବିମାନବନ୍ଦରର ଉଦ୍‌ଘାଟନ କରିବେ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଅଯୋଧ୍ୟାର ଅତ୍ୟାଧୁନିକ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ୧,୪୫୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହୋଇଛି। ବିମାନବନ୍ଦର ଟର୍ମିନାଲ ବିଲ୍ଡିଂର କ୍ଷେତ୍ର ୬୫୦୦ ବର୍ଗ ମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ପ୍ରସ୍ତୁତ ରହିବ।