କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଗୁରୁବାର ବଲାଙ୍ଗୀର ଟିଟିଲାଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ରାସ୍ତାର ଦୁଇ ପଟରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନପତ୍ର ଦାଖଲ ପୂର୍ବରୁ ଆଜି ଟିଟିଲାଗଡ ସିଟି ହାଇସ୍କୁଲରୁ ଏକ ରୋଡ ସୋ’ରେ ଆସିଥିଲେ ମୁଖ୍ୟମନ୍ତ୍ରୀ । ଟିଟିଲାଗଡ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ ।

ନାମାଙ୍କନପତ୍ର ଦାଖଲ ସମୟରେ ବଲାଙ୍ଗୀର ବିଜେଡିର ନେତା ଉପସ୍ଥିତ ରହିଥିଲେ ।ଯୁବ, ଛାତ୍ର ଓ ମହିଳା ଏକତ୍ରିତ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ। ମହିଳାମାନେ ଫୁଲ ପକାଇ ଆପଣାର ନେତାଙ୍କୁ ପାଛୋଟି ନେଉଥିଲେ। ରାସ୍ତା ସାରା ନବୀନଙ୍କ ଉପରେ ହେଉଥିଲା ପୁଷ୍ପବୃଷ୍ଟି। ସୂଚନାଯୋଗ୍ୟ, ଏହା ପୂର୍ବରୁ ନବୀନ ହିଞ୍ଜିଳିରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ଏହି ଆସନରୁ ସେ ଷଷ୍ଠଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୨୦୦୦ରୁ ନବୀନ ହିଞ୍ଜିଳି ବିଧାୟକ ରହି ଆସିଛନ୍ତି। ହିଞ୍ଜିଳିରୁ ତାଙ୍କ ବିପକ୍ଷରେ ଭାଜପାରୁ ଶିଶିର ମିଶ୍ର ଓ କଂଗ୍ରେସରୁ ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ମେ’ ୨୦ରେ ହିଞ୍ଜିଳିରେ ମତଦାନ ହେବ।